ଯୁବକଙ୍କୁ ଛୁରି ଭୁଷି ହତ୍ୟା ଘଟଣା  ,ମାମୁଁ ଭଣଜା ସମେତ ୪ ଗିରଫ 


 ହିଞ୍ଜିିଳିକାଟୁ: ଗତ ମାର୍ଚ୍ଚ ମାସ ୩୦ ତାରିଖ ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଡି ପାଟପୁର ଗ୍ରାମର ଏକ ନିର୍ମାଣଧିନ କୋଠାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲେ । ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ହନ୍ତୋଷ ଗ୍ରାମର ସଞ୍ଜୟ ନାୟକ(୩୦) । ଘଟଣାକୁ ନେଇ ମୃତକଙ୍କ ଭଉଣୀ  ବବିତା ନାୟକ ବେଲଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ବେଲଗାଁ ଥାନା କେସ ନଂ ୨୮/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ରବିବାର ହତ୍ୟା ଘଟଣାରେ ସଂଶ୍ଲିଷ୍ଟ ମାମୁଁ, ଭଣଜାଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଷଡ଼ଯନ୍ତ୍ରକାରୀ ମାମୁଁ ବେଲଗାଁ ଥାନା ଡି ପାଟପୁର ଗ୍ରାମର ଯୁଧିଷ୍ଠିର ପ୍ରଧାନ (୪୩), ହତ୍ୟାକାରୀ ଯୁଧିଷ୍ଟିରଙ୍କ ଭଣଜା ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣୀ ଗ୍ରାମର ନିଲୁ କୁମାର ସାମଲ ଓ ୨ ସହଯୋଗୀ ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣୀ ଗ୍ରାମର ସନ୍ତୋଷ ବେହେରା (୩୫), ଅଜିତ ଭୂୟାଁ ପାଣ୍ଡା (୧୯) ବୋଲି ଜଣାପଡ଼ିଛି  ।  ଗିରଫ ସମସ୍ତଙ୍କୁ ରବିବାର କୋର୍ଟ ·ଲାଣ କରାଯାଇଥିବା ବେଲଗାଁ ଥାନା ଆଇଆଇସି ସ୍ମିତାଳି ପ୍ରଧାନଙ୍କ ସୂତ୍ରରୁ ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଗିରଫ ଯୁଧିଷ୍ଠିରଙ୍କ ବାପାଙ୍କୁ ଗୁଣି କରି ହତ୍ୟା କରିବା ନେଇ ସନେ୍ଦହ କରିଥିଲେ । ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୁଧିଷ୍ଠିର ଦୀର୍ଘ ଦିନ ଧରି ସୁଯୋଗ ଉଣ୍ଡୁଥିଲେ । ତେବେ ମାର୍ଚ୍ଚ ୨୯ ତାରିଖ ବିଳମ୍ବିତ ରାତିରେ ବେଲଗାଁ ଥାନା ଡି ପାଟପୁର ଗ୍ରାମରେ ନିର୍ମାଣଧୀନ ଏକ ଘରେ ଏକାକୀ ଶୋଇଥିବା ବେଳେ ଯୁଧିଷ୍ଠିରଙ୍କ ପ୍ରରୋଚନାରେ ତାଙ୍କ ଭଣଜା ନିଲୁ  ଘର ଭିତରେ ପଶି ତାଙ୍କୁ ଛୁରି ଭୁଷି ହତ୍ୟା କରିଥିବା ନେଇ ନିଲୁ ପୁଲିସ ନିକଟରେ ସ୍ୱୀକାର କରିଥିବା ପ୍ରକାଶ କରିଛି ।
ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ଘଟଣାସ୍ଥଳ ଠାରୁ ପ୍ରାୟ ୫୦ ମିଟର ଦୂରତାରେ ଏକ କ୍ରସର ଫେକ୍ଟ୍ରି ଓ ସଂପୃକ୍ତ ଗ୍ରାମର ବଜାର ଗହଳ ଚହଳ ଥିବା ବେଳେ ନିର୍ମାଣଧିନ କୋଠାଘରେ ସଞ୍ଜୟଙ୍କୁ ମରଣାନ୍ତକ ଆକ୍ରମଣ କେହି  ସୁରାକ ପାଇ ନ ଥିଲେ । ଏପରି ଘଟଣା ଏବେ ଅଞ୍ଚଳରେ ଆଲୋଚର ବିଷୟ ପାଲଟିଛି ।